ନବମ ଶତାବ୍ଦୀରୁ ଯେତେବେଳେ ପୁରୀରେ ଶିବଶକ୍ତିଙ୍କ ଉପାସକ “କେଶରୀ ବଂଶର” ରାଜୁତି ଚାଲିଥିଲା, ସେହି ସମୟରେ ରାଜ୍ୟ ବିସ୍ତାର ପାଇଁ କେଶରୀ ବଂଶର ଦୁଇ ଭାଇ ଦକ୍ଷିଣ କୋଶଳ(ପଶ୍ଚିମ ଓଡିଶା ଓ ଛତିଶଗଡ) ସୀମାନ୍ତ କୁ ଚାଲି ଆସିଥିଲେ । ବଡଭାଇ ରତ୍ନ କେଶରୀ ଛତିଶଗଡରେ ଗଡ କଲେ ଓ ସାନ ଭାଇ କପିଳ କେଶରୀ ହେମଗିରିର ଜୁନାଗଡରେ ଗଡ କଲେ ।
ଦିନେ ରାଜା କପିଳ କେଶରୀ ଏହି ବେଲସରା କୁ ଘନ ଜଙ୍ଗଲ ଓ ଜୀବଜନ୍ତୁ ଭରା ଥିବା ଜାଣିପାରି ଶିକାର କରିବା ପାଇଁ ଆସିଥିଲେ । ଶିକାର କରୁକରୁ ସନ୍ଧ୍ୟା ହୋଇଯିବାରୁ
ଘରକୁ ନଫେରି ସୈନ୍ୟମାନଙ୍କ ସହ ଏଠି ଛାଉଣୀ କରି ରାତ୍ର ଯାପନ ପାଇଁ ନିଷ୍ପତ୍ତି ନେଲେ । ରାତିରେ ତାଙ୍କୁ ଦେବ ଦେବ ମହାଦେବଙ୍କ ସ୍ଵପ୍ନାଦେଶ ହେଲା "ତୁମ ଛାଉଣୀ ପାଖରେ ଯେଉଁ ବିରାଟ ଉଇହୁଙ୍କା ଅଛି ମୁଁ ସେଠାରେ ବିରାଜମାନ ଅଛି ଆଉ ତୁମେ ତାକୁ ଅଭିଷେକ କରାଅ" ।
ସ୍ଵପ୍ନାଦେଶ ଅନୁସାରେ ରାଜା ସୈନ୍ୟ ଲଗାଇ ପାହାଡ ଆରପଟ ନଦୀଠୁ ପାଣି ଆଣି ଉଇହୁଙ୍କା ର ଅଭିଷେକ କରିବା ପରେ ଲିଙ୍ଗ ରୂପି ମହାଦେବଙ୍କ ଆବିର୍ଭାବ ହେଲା ଓ ସମସ୍ତେ ବହୁ ଆନନ୍ଦରେ ପୂଜାର୍ଚନା କରିଥିଲେ । ପୁଣି କୁହାଯାଏ ଯେ ରାଜାଙ୍କ ପୂଜାରେ ଖୁସି ହୋଇ ସେହି ରାତିରେ ହିଁ ଲିଙ୍ଗ ଉପରେ ମାଙ୍କଡ଼ା ପଥରର ମନ୍ଦିର ଓ ମନ୍ଦିର ପରିପାର୍ଶ୍ଵରେ ୧୮ଗଣ୍ଡା(୭୨ଟି) ପୋଖରୀ ଦେବତାମାନଙ୍କ ଦ୍ଵାରା ଖନନ ହୋଇଗଲା । ସକାଳେ ଏ ସବୁ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଉଠିଲେ ଓ ସେ ଦିନଠୁ ଏହି ମନ୍ଦିରକୁ "ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବା ମନ୍ଦିର" ନାମକରଣ କରିଦେଲେ ।
ସେହି ଦିନରୁ ରାଜା ଏହି ବେଲସରାକୁ ବି ନିଜର ଗଡ କରିବାକୁ ନିଷ୍ପତ୍ତି ନେବା ସହିତ ମନ୍ଦିର ଉତ୍ତରରେ ନିଜର ରାଜପ୍ରାସାଦ ବା ଦୁର୍ଗ ମଧ୍ୟ ନିର୍ମାଣ କଲେ ଓ ମନ୍ଦିର ସମ୍ମୁଖ ‘ଆଖଡ଼ା ପାହାଡ’ରେ ଥିବା ଗୁମ୍ଫାରେ ଶକ୍ତିପୂଜା ବା ଦେବୀ ପୂଜା ମଧ୍ୟ କରୁଥିଲେ ।
ରାଜା କପିଳ କେଶରୀଙ୍କ ପରେ ତାଙ୍କ ପୁଅ ବିକ୍ରମ କେଶରୀ, ବଂଶାନୁକ୍ରମେ ଚନ୍ଦ୍ର କେଶରୀ, ରଘୁନାଥ କେଶରୀ, ବୀରବାହୁ କେଶରୀ, ଚୈତନ୍ୟ କେଶରୀ, ରାମଚନ୍ଦ୍ର କେଶରୀ, ଶଙ୍କର କେଶରୀ, ବକୁଳ କେଶରୀ, ଗଜିନ୍ଦ୍ର କେଶରୀ, ମନୁ କେଶରୀ, ମଦନ କେଶରୀ, ଗଜେନ୍ଦ୍ର କେଶରୀ, ରତନ କେଶରୀ, ମାନ କେଶରୀ ଓ ପରେ ତାଙ୍କ ପୁଅ ରାଜା ଦେଓ କେଶରୀ ଏପରି ୧୬ ରାଜା ଏହି ବେଲସରାଗଡ଼ ଓ ଜୁନାଗଡ଼ ରେ ରାଜୁତି କରିଥିଲେ । ରାଜା ଦେଓ କେଶରୀ ନିଜ ବଂଶର ଶେଷ ରାଜା ଥିଲେ ।
ନିଜ ପୂର୍ବପୁରୁଷ ତଥା ପରମ୍ପରା ଅନୁଯାୟୀ ରାଜା ଦେଓ କେଶରୀ ମଧ୍ୟ ଶକ୍ତିପୂଜାରେ ପଶୁ ବଳି ଓ ଗୋଟିଏ ନରବଳୀ ଦେଉଥିଲେ । କିନ୍ତୁ ଲୋକଙ୍କ ମନରେ ସନ୍ଦେହ ଥିଲା କି ରାଜା ଲୁଚି ଛପି ଏକାଧିକ ନରବଳି ଦେଉଛନ୍ତି । ଏହାକୁ ନେଇ ରାଜା ଓ ତାଙ୍କ ସେନା ନାୟକ ମଦନ ପ୍ରଧାନଙ୍କ ମଧ୍ୟରେ କଳି ହୋଇଗଲା ।
ଚକ୍ରାନ୍ତ କରି ମଦନ ପ୍ରଧାନ ବହୁ ଜମିଦାର ଓ ସୈନ୍ୟ ସାମନ୍ତ ଠୁଳ କଲା ଓ ରାଜା ଯେତେବେଳେ ଜୁନାଗଡ଼ରେ ଥିଲେ ରାଜାଙ୍କୁ ଆକ୍ରମଣ କରି ହତ୍ୟା କରିଦେଲେ । ମଝିଆଁ ରାଣୀ ଓ ରାଜାଙ୍କ ପୁଅମାନଙ୍କୁ ଏହି ବେଲସରାଗଡ଼ ରେ ହତ୍ୟା କଲେ କିନ୍ତୁ ବଡ ରାଣୀ ଲୁଚିଯାଇ ବୁଡ଼ାପାହାଡ଼ ପଛପଟ ନାଳରେ ବୁଡି ସତୀ ହେଲେ । ସେ ଦିନଠୁ ସେ ନାଳର ନାମ "ରାଣିବୁଡ଼ା" ହେଲା ।
ମୃତ୍ୟୁ ପରେ ରାଜାଙ୍କ ସମସ୍ତ ଯନ୍ତ୍ର ପୋଥି, ରତ୍ନ ଭଣ୍ଡାର, ଘୋଡା ହାତୀ ଆଦି ସବୁ ସମ୍ପତ୍ତି ଲୁଟି ନେଇ ଜମିଦାର ମାନେ ନିଜ ଭିତରେ ବାଣ୍ଟି ନେଲେ ଓ ସବୁ ଧ୍ଵଂସ ବିଧ୍ଵଂସ କରିଦେଲେ କିନ୍ତୁ ହାତୀ ଶିକୁଳି , କୁରଳ ଗଡୁ ଆଦି ବେଲସରାଗଡ଼ ରୁ ନେଇ ପାରିଲେନି, ଯାହାକି ଏବେ ପର୍ଯ୍ୟନ୍ତ ବେଲସରାଗଡ଼ ଦେବୀଙ୍କ ପାଖରେ ପୂଜା ପାଇ ଆସୁଛନ୍ତି । ରାଜାଙ୍କ ରାଜପ୍ରାସାଦର ଅବଶେଷ ଚିହ୍ନ ଏବେ ମଧ୍ୟ ସାକ୍ଷୀ ହୋଇ ରହିଛି ।
ରାଜାଙ୍କ ପରେ ମନ୍ଦିର ଗର୍ଭଗୃହ ଉପରେ ଚାଲ ଘର, ପରେପରେ ଛପରଘର କରି ଲୋକେ ପୂଜା କରି ଆସୁଥିଲେ । ୧୯୬୭ ମସିହାରେ ଗାଁ ର ଗୌନ୍ତିଆ ୰ଧରଣୀଧର ପଟେଲ ସ୍ଵପ୍ନାଦେଶ ପାଇ ବାବାଙ୍କ ଗର୍ଭଗୃହ ଉପରେ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ, ଯାହାକି ୧୯୭୨ ମସିହାରେ ସମ୍ପୂର୍ଣ ହୋଇଥିଲା । ନବମ ଶତାବ୍ଦୀ ରାଜା କପିଳ କେଶରୀଙ୍କ ସମୟରୁ ଏବେ ପର୍ଯ୍ୟନ୍ତ ମନ୍ଦିରରେ ବାବା ସ୍ଵପ୍ନେଶ୍ଵର ଓ ଆଖଡ଼ା ପାହାଡ଼ ଗୁମ୍ଫାରେ ଦେବୀ ମାତା ସ୍ୱପ୍ନେଶ୍ୱରୀଙ୍କ ପୂଜାର୍ଚନା ଚାଲିଆସୁଛି ।