07/04/2025
ଶିମିଳିପାଳ ହେଉଛି ବାଥୁଡି ମାନଙ୍କର ମୂଳ ଗଡ଼ । ଶହ ଶହ ବର୍ଷ ଧରି ଶିମିଳିପାଳ ଗଡ଼ କୁ ବାଥୁଡି ସମ୍ପ୍ରଦାୟର ମହାପାତ୍ର ସଂଜ୍ଞା ଧାରୀ ରାଜା ମାନେ ଶାସନ କରି ଆସୁଥିଲେ। ପ୍ରଭୁ ବଡାମ ଓ ମାତା ବଡାମଣୀ ବାଥୁଡି ସମ୍ପ୍ରଦାୟର ଇଷ୍ଟ ଦେବତା ,ଜଣା ଯାଏ ଯେ ଷଷ୍ଠ ସପ୍ତମ ଶତାବ୍ଦୀ ବେଳକୁ ଆର୍ଯ୍ୟ ମାନେ ଓଡିଶା ରେ ପ୍ରବେଶ ପୂର୍ବ ରୁ ବର୍ତ୍ତମାନର ଓଡିଶା ର ମୟୂରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଆଦି ଜିଲ୍ଲା ପ୍ରଭୁ ବଡାମଙ୍କର କ୍ଷେତ୍ର ଥିଲା । ଏହି ଅଞ୍ଚଳ ର ମୂଳ ଆଦିବାସୀ ଗୋଷ୍ଠି ବାଥୁଡି, ଭୂୟାଁ , ଶବର ଆଦି ଜନଜାତି ପ୍ରଭୁ ବଡାମ ଙ୍କୁ ଉପାସନା କରୁ ଥିଲେ ।ଏହା ବ୍ୟତୀତ ଐତିହାସିକ ତଥ୍ୟ ରୁ ଜଣା ଯାଏ ଯେ ପ୍ରାକ ଐତିହାସିକ ଯୁଗର ମନୁଷ୍ୟ ପର୍ବତ ଗୁହାରେ ରହୁ ଥିଲେ । ବିଭିନ୍ନ ଦେବାଦେବୀଙ୍କୁ ପର୍ବତ ଗୁହାରେ ରଖି ପୂଜା କରୁ ଥିଲେ । ଶିମିଳିପାଳ ରେ ଅଵସ୍ଥାନ କରୁ ଥିବା ସମୟରେ ବାଥୁଡି ଜାତି ଯେଉଁ ଉପାସନା ସ୍ଥଳୀ ରେ ପୂଜା କରୁ ଥିଲେ ତାହା ଥିଲା ଅଠର ଦେଉଳ । ଯାହା କି ହଜାର ହଜାର ବର୍ଷ ଧରି ଆଜି ବି ଇତିହାସ ର ମୁକ ସାକ୍ଷୀ ରୂପେ ଶିମିଳିପାଳର ଘଞ୍ଚ ଅରଣ୍ୟ ମଧ୍ୟ ରେ ଦଣ୍ଡାୟମାନ ।
"ଅଠର ଦେଉଳ ଯେ ଅଠରଟି ଗୁହା
ପଥର ପଥରପରେ ହୋଇଅଛି ଥୁଆ
ବିଶ୍ୱକର୍ମା ନିର୍ମାଣ ଯେ ପଥରର ଘର
ବାଥୁଡି ତହିଁରେ କରୁ ଥିଲେ କାରବାର
ବାରଦଣ୍ଡା ଶିମିଳିପାଳ ଯେ ପରବତ
ସେହି ଠାରେ ଅଠରଟି ଦେଉଳ ବିଖ୍ୟାତ"
ବର୍ତ୍ତମାନ ର ଶିମିଳିପାଳ ର Core Area ରେ ଅବସ୍ଥିତ ବାଥୁଡି ମାନଙ୍କ ପବିତ୍ର ଅଠର ଦେଉଳ ର ଅଂଶବିଶେଷ "ମାନବ ଦେଉଳ" ବାଥୁଡି ମାନଙ୍କ ର ପୂର୍ବ ଗରିମାମୟ ଇତିହାସ ର ବାର୍ତ୍ତା ଦେଉଛି । ମାନବ ଦେଉଳ ର ନିର୍ମାଣ ଶୈଳୀ କୁ ଲକ୍ଷ୍ୟ କଲେ ଜଣା ଯାଏ ଯେ ଏହା ଏକ ବହୁ ପୁରାତନ ଦେଉଳ । ଏହା ମାଙ୍କଡ଼ା ପଥର ରେ ନିର୍ମିତ । ସବୁ ଠାରୁ ବଡ଼ କଥା ହେଲା ଏ ଦେଉଳ ନିର୍ମାଣ ସମୟରେ କୌଣସି ମାଧ୍ୟମ ର ବ୍ୟବହାର ହୋଇ ନାହିଁ କେବଳ ପଥର ଉପରେ ପଥର କୁ ଲୋଦି ଏହି ଦେଉଳ ର ନିର୍ମାଣ କରାଯାଇ ଅଛି । ପଥର କୁ ପଥର ଯୋଡିବା ପାଇଁ ଚୂନ କିମ୍ବା ଅନ୍ୟ ପଦାର୍ଥ ର ବ୍ୟବହାର ନ ହେବା ଏହି ଦେଉଳ ର ପୁରାତନତା କୁ ଦର୍ଶାଏ । ବାଥୁଡି ସମ୍ପ୍ରଦାୟର ଲୋକେ ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ବେଳକୁ ନିର୍ମାଣ ହୋଇ ଥିବାର ଦାବି କରନ୍ତି ।
ସମୟ ର ସ୍ରୋତ ରେ ଆଗକୁ ବଢୁଥିବା ବାଥୁଡି ଜନଜାତି ନିଜର ପୂର୍ବ ଗୌରବ ଓ ପୂଜା ଉପାସନା ପଦ୍ଧତି କୁ ଆଜି ବି ବଜେଇ ରଖିଛନ୍ତି । ପ୍ରତି ବର୍ଷ ଚଇତ୍ର ମାସ ର ଦଶ ଦିନୁ ରୁ ଆରମ୍ଭ ହୁଏ ପ୍ରଭୁ ବଡାମ ଙ୍କର ପବିତ୍ର ବାର୍ଷିକ ଅଠର ଦେଉଳ ପୂଜା । ପ୍ରତିଟି ବାଥୁଡି ଗାଁ ର ନର ନାରୀ ନିଜ ଗ୍ରାମ ଦେହୁରୀଙ୍କୁ ସାଙ୍ଗ ରେ ଧରି ପାରମ୍ପରିକ ବେଶ ପୋଷାକ ରେ ବାହାରି ପଡନ୍ତି ଶିମିଳିପାଳ ଅଭିମୁଖେ , ପୂଜା କରିବାକୁ ନିଜ ଇଷ୍ଟ ଦେବ ବଡାମ ଙ୍କୁ। ଚଇତ୍ର ମାସ ରେ ଶିମିଳିପାଳ ର ଅଠର ଟି ସ୍ଥାନ ରେ ପୂଜାର୍ଚ୍ଚନା କରି ଥାନ୍ତି । ଏକ ସପ୍ତାହ ବ୍ୟାପୀ ଚାଲୁ ଥିବା ପୂଜା ଚଇତ୍ର ମାସ ର ଦଶ ଦିନ ରୁ ଆରମ୍ଭ ହୋଇ ଅଠର ଦିନ ରେ ପରିସମାପ୍ତି ଘଟି ଥାଏ ।ଶିମିଳିପାଳ ମଧ୍ୟ ରେ ଖାଲି ପାଦ ରେ ଚାଲି ଚାଲି ଦେଉଳ ରୁ ଦେଉଳ କୁ ଯାଇ ୮ ଦିନ ଧରି ପୂଜାର୍ଚ୍ଚନା କରି ଥାନ୍ତି । ରାତି ତମାମ ପାରମ୍ପରିକ ଦେବ ବାଦ୍ୟ ଚାଙ୍ଗୁ ବାଦ୍ୟ ଧରି ମନ ଆନନ୍ଦ ରେ ପୁରୁଷ ମହିଳା ମିଶି ଚାଙ୍ଗୁ ନୃତ୍ୟ କରି ନିଜର ଇଷ୍ଟ ଠାକୁରଙ୍କ ପ୍ରତି ନିଜର ଭକ୍ତି ଅର୍ଘ୍ୟ ଢାଳି ଦେଇ ଥାନ୍ତି । ନିସ୍ତବ୍ଧ ବନ ମୁଲକରେ ଚାଙ୍ଗୁ ବାଦ୍ୟ ର ଶବ୍ଦ ଚଉଦିଗ ଗୁଞ୍ଜରିତ ହୋଇ ଥାଏ । ନିଘଞ୍ଚ ଜଙ୍ଗଲ ରେ ଏକ ସପ୍ତାହ ବ୍ୟାପୀ ପତ୍ର କୁଡ଼ିଆ କରି ବାଥୁଡି ମାନେ ରହୁ ଥିଲେ ମଧ୍ୟ ପ୍ରଭୁ ବଡାମଙ୍କ କୃପା ରୁ କେବେ କୌଣସି ହିଂସ୍ର ଜନ୍ତୁ କିମ୍ବା ସରୀସୃପ ତାଙ୍କର କୌଣସି କିଛି କ୍ଷତି କରି ନ ଥାନ୍ତି । ଧନୀ ଗରିବ ଭେଦ ଭାବକୁ ଛାଡି ସମସ୍ତେ ଧବଳ ପୋଷାକ ପରିହିତ ହୋଇ ଆମେ ସମସ୍ତେ ଏକ ଜାତି ଏକ ଇଷ୍ଟ ଦେବତା ର ସନ୍ତାନ ବୋଲି ପରିଚୟ ଦେଇ ଥାନ୍ତି । ଆଠ ଦିନ ଧରି ଖାଲି ପାଦ ରେ ଚଲାବୁଲା କରିବା , ପୂଜାର୍ଚ୍ଚନା ସହ ପ୍ରାକୃତିକ ବୃକ୍ଷ ଲତା ଗୁଳ୍ମ ଆଦି ସଂସ୍ପର୍ଶରେ ଆସିବା ଫଳ ବର୍ଷ ଯାକ ନିରୋଗ ରହିବାର ବିଶ୍ୱାସ ରହିଛି । ଏହି ବାର୍ଷିକ ପୂଜା ର ମୁଖ୍ୟ ଉଦ୍ଦେଶ୍ୟ ଥାଏ ନିଜକୁ ପ୍ରକୃତି କୋଳ ରେ ହଜେଇ ଦେବା । ପ୍ରକୃତି ର ନିୟମ କାନୁନ୍ ସହ ନିଜ କୁ ଖାପ ଖୁଏଇ ବନ୍ୟଜାତ ପଦାର୍ଥ ଖାଇ ବଞ୍ଚି ଶିଖିବା । ବୃକ୍ଷ ପାହାଡ଼ ଜଙ୍ଗଲ ଝରଣା ଆଦି କୁ ଉପାସନା କରି ତାର ସଂରକ୍ଷଣ କରିବା।
ମୟୂରଭଞ୍ଜ ର ତତ୍କାଳୀନ ମହାରାଜା ଯଦୁନାଥ ଭଞ୍ଜଦେଓ ମହାପାତ୍ର ଵଂଶ କୁ ୧୨୭୫ ସାଲ ରେ ଯେଉଁ ସନନ୍ଦ ପ୍ରଦାନ କରି ଥିଲେ ସେଥିରେ ଉଲ୍ଲେଖ ରହିଛି , " ଜାଗିରି ଜମି ରୁ ଯାହା ପାଇବୁ ଶିମିଳିପାଳ ଅଠର ଦେଉଳ ଦେବା ଦେବୀ ପୂଜାରେ ଲଗେଇବୁ" .ଉକ୍ତ ଅଧିକାର ବଳ ରେ ଏବେ ସୁଧା ବାଥଡି ସମ୍ପ୍ରଦାୟର ଲୋକେ ପୁରୁଷାନୁକ୍ରମ ରେ ଶିମିଳିପାଳ ର ଘଞ୍ଚ ଅରଣ୍ୟ ରେ ଅବାଧ ଭାବରେ ପ୍ରବେଶ କରି ଅଠର ଦେଉଳ ରେ ପୂଜା କରି ଆସୁଛନ୍ତି ।
ମୁଁ ଗର୍ବ କରେ ମୋ ମାଟିର ଏ ନିଆଁରେ ପରମ୍ପରା ପାଇଁ,
ମୁଁ ଗର୍ବ କରେ ଯେ ମୁଁ ଏ ପବିତ୍ର ମାଟିରେ ଜନ୍ମିତ,
ମୁଁ ଗର୍ବ ରେ କୁହେ
ଜୟ ବଡାମ
ଜୟ ବଡାମଣୀ
ଜୟ ମୟୂରଭଞ୍ଜ 🚩🚩🚩
ସଂଗୃହିତ : ଜୟ ପ୍ରକାଶ ସିଂହ