19/07/2025
ମହାପ୍ରଭୁଙ୍କ ପଣସ ଚୋରି କଥା
ଶ୍ରୀ ଜଗନ୍ନାଥ ମହାପ୍ରଭୁ ଲୀଳାମୟ । ଭକ୍ତର ଅନାବିଳ ଭକ୍ତି ପ୍ରେମରେ ବିହ୍ୱଳ ହୋଇ ତାକୁ ସୁଖ ଦେବା
ଉଦ୍ଦ୍ୟେଶ୍ୟରେ ବିଚିତ୍ର ଲୀଳା କରିବାରେ ସେ ସିଦ୍ଧହସ୍ତ ।
ଏକଦା ମହାପ୍ରଭୁ ଭକ୍ତ ବଳରାମ ଦାସକୁ କହନ୍ତି "ଦାସେ! ମୋର ଆଜି ପାଚିଲା ପଣସ ଖାଇବାକୁ ପ୍ରବଳ ଇଛା ଜାଗ୍ରତ ହୋଇଛି । " ପ୍ରଭୁଙ୍କ କାମନା ଶୁଣି ଭକ୍ତ କହିଲେ "ପ୍ରଭୁ ଏଠାରୁ ଅଳ୍ପ ଦୂରରେ ଜଣେ ବ୍ରାହ୍ମଣଙ୍କ ବଗିଚାରେ ସୁମିଷ୍ଟ ପଣସ ପାଚିଛି,କିନ୍ତୁ ପଣସ ତ ଗଛରେ ପୁଣି ବ୍ରାହ୍ମଣ ନିଜେ ଜଗୁଆଳି , କ'ଣ କରିବା ?" ଲୀଳାଧର ନଟବରଙ୍କୁ କ'ଣ ଅସମ୍ଭବ । ପୁଣି ଚୌର୍ଯ୍ୟ କର୍ମରେ ତ ସେ ଶିରୋମଣି । ଗୋପପୁରରେ ତ ଗୋପୀମାନଙ୍କ ଲବଣୀ,ଦହି ଚୋରି କରିବା ତାଙ୍କର ନିତିଦିନିଆ କର୍ମ । ଏପରିକି ସ୍ନାନରତା ଗୋପୀମାନଙ୍କ ପାଲଟା ବସ୍ତ୍ର, ଉଢା-ଅନୁଢା (ବିବାହିତ-କୁମାରୀ) ନିର୍ବିଶେଷରେ ଗୋପାଙ୍ଗନା ମାନଙ୍କ ଚିତ୍ତ ଯେ ଚୋରାଇବାରେ ଆନନ୍ଦିତ ହେଉଥିଲେ ,ତାଙ୍କ ନିମନ୍ତେ ଏ ପଣସ ଚୋରି ବା କି ଛାର ! ରଙ୍ଗ ଅଧରରେ ଚପଳ ସ୍ମିତ ହାସ୍ୟର ଛଟା ଖେଳାଇ ଚୋର ଶିରୋମଣି ପ୍ରଭୁ କହନ୍ତି"ଦାସେ ! ଏଇଟା ମୋ ପାଇଁ କି ବଡ କଥା ! ଚୋରି କରି ଖାଇନେବା । ତୁମେ ତ ମୋ ସାଙ୍ଗରେ ଅଛ । ତେବେ ଆଜି ସନ୍ଧ୍ୟାରେ ଏ ଶୁଭକାର୍ଯ୍ୟର ସମାପନ ହେଉ ।"
ବିଳମ୍ବିତ ସନ୍ଧ୍ୟାରେ ମହାପ୍ରଭୁ ବଳରାମ ଦାସଙ୍କ ସହ ପଣସ ବଗିଚା ପାଖରେ ପହଞ୍ଚନ୍ତି । ଭାବମୟ ଲୀଳାରେ ତ ଭଗବାନଙ୍କ ଐଶ୍ୱର୍ଯ୍ୟ ବିଲୀନ ହୋଇଯାଏ । ଭକ୍ତକୁ ଆନନ୍ଦ ଦେବା ପାଇଁ ତା ସ୍ତରକୁ ଖସି ଆସନ୍ତି ସେ । ବ୍ରାହ୍ମଣ ଟିକେ ସନ୍ଧ୍ୟା କର୍ମ ପାଇଁ ଘରକୁ ଯାଇଥାନ୍ତି ଆଉ ଜଣେ ଲୋକକୁ ଜଗେଇ ଦେଇ । ମାତ୍ର ତା'ର କ'ଣ ଏତେ ଦାୟିତ୍ୱ । ଗ୍ରୀଷ୍ମ କାଳ ସନ୍ଧ୍ୟାର ମନ୍ଦ ଶୀତଳ ପବନ ପାଇ ତାର ଆଖି ଲାଗିଗଲା ।ଜହ୍ନ ଆଲୋକ ଛିଟା ଛିଟା ପଡୁଥାଏ । ଏଣେ ଏ ଦୁଇଜଣ ପଣସ ଚୋର ବଗିଚାରେ ଏ ସୁଯୋଗରେ ପସିଗଲେ । ପଣସ ଗଛରେ ପାଚି ମହକୁ ଥାଏ ।ଦାସେ ଗଛରେ ଚଢିଲେ । ମହାପ୍ରଭୁ ତଳେ ଠିଆ ହେଲେ କୋମଳ ପତ୍ର ବିଛାଇ ତୋଳା ଫଳକୁ ଧରିବା ପାଇଁ । ଗୋଟାଏ ବଡ ପାଚିଲା ପଣସ ତୋଳି ଦାସେ ଭଗବାନଙ୍କ ପାଖକୁ ତଳକୁ ପକାଇଦେଲେ । ମହାପ୍ରଭୁ ତ ବଡଖିଆ । ତାଙ୍କୁ ଗୋଟାଏ ତ ପାଇବନି । ତେଣୁ ଆଉ ଏକ ବଡ ପାଚିଲା ଫଳ ଖୋଜିବାରେ ଲାଗିଲେ ସେ ଛାଇ ଆଲୁଅ ମିଶା ପତ୍ର ଗହଳରେ । ଜଗନ୍ନାଥ ତ କିଛି ସମୟ ପାଇଁ ଧୈର୍ଯ୍ୟ ଧରି ରହିଲେ ।କିନ୍ତୁ ପାଚିଲା ପଣସର ସୁମିଷ୍ଟ ମଧୁର ବାସ୍ନା ଆଉ ସେ ସହି ପାରିଲେନି ।ବିକଳ ହୋଇ ସେ ପଣସକୁ ଭାଙ୍ଗି କୋଷାମାନ ଖାଇବାକୁ ଲାଗିଲେ । କେଇ କ୍ଷଣ ମଧ୍ୟରେ ପଣସଟା ଶେଷ ।ହେଲେ ଷାଠିଏ ପଉଟି ଖାଇଲାବାଲାଙ୍କ ପେଟ କି ମନ କୋଉଠି ପୂରୁଛି ଗୋଟିଏ ପଣସରେ । ବଳରାମ ଦାସ ଆଉ ଏକ ପଣସ ପକେଇଦେଲେ । ତାକୁ ବି ସେ ଉଦରସ୍ଥ କରିବାରେ ଲାଗିଗଲେ । ପଣସ ଅଧା ଖିଆ ହୋଇଛି , ବଗିଚାର ମାଲିକ ଜଗୁଆଳୀ ଆସିବାର ତୁଣ୍ତ ଶବ୍ଦ ଶୁଣାଗଲା । ମହାପ୍ରଭୁ ତ ତଳେ ଥାଆନ୍ତି । ନଟଖଟ ଲୀଳାମୟ ତୁରନ୍ତ ଭୋଜନ ଛାଡି ସେ କଣ୍ଟା ଝଟା ଦେଇ ବଗିଚା ବାଡ ଡେଇଁ ପଳାଇଗଲେ ।
ହାଁ "ଯଃ ପଳାୟତି, ସଃ ଜୀବତି॥"ସୁଝୀନ ପିତାମ୍ବର ବି କଣ୍ଟା ଲାଗି ଚିରିଗଲା, ଶ୍ରୀଅଙ୍ଗରେ କିଛି ଆଞ୍ଚୁଡା କ୍ଷତ ବି ହେଇଗଲା । ଭଗବାନ ତ ପାର । ହେଲେ ଭକ୍ତ ବଳରାମ ତ ଗଛ ଉପରେ । ତରବରରେ ଗଛରୁ ଡେଇଁପଡିଲେ ଯେ ଗୋଡ ହାତ କିଛି ମୋଡି ହେଇଗଲା । ସେ ବି ରକ୍ଷା ପାଇବା ପାଇଁ ପ୍ରଭୁଙ୍କ ପରି କଣ୍ଟାବାଡ ଡେଇଁ ଯିବାବେଳେ ଅନୁରୂପ ଖଣ୍ଡିଆ ଖାବରା ହୁଅନ୍ତି । ମହାପ୍ରଭୁ ଆଗେ ଆଗେ ଆଉ ଦାସେ ତାଙ୍କ ପଛେ ପଛେ ଏକମୁହାଁ ହୋଇ ଦୌଡନ୍ତି ବଡ ଦେଉଳକୁ ।
ଏଣେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ସନ୍ଧ୍ୟା ଧୂପ ବେଳରେ ରତ୍ନ ସିହାଂସନରେ ନ ପାଇ ବ୍ୟସ୍ତ ବିବ୍ରତ ହୋଇ ପାଟ ଅଗଣାରେ ଇତସ୍ତତଃ ହୋଇ ବୁଲୁଥାନ୍ତି । ଆଉ ଠିକ୍ ଏ ସମୟରେ ଏ ଦୁଇ ଜଣ ଦୌଡି ଦୌଡି ଯାଇ ପହଞ୍ଚନ୍ତି। କି ବିଚିତ୍ର ବେଷ ନଟନାଗରଙ୍କ !!! ଶ୍ରୀଅଙ୍ଗ ମଳିନ କ୍ଷତବିକ୍ଷତ । ସର୍ବାଙ୍ଗ ଝାଳ ଜର୍ଜ୍କରିତ ! ଦ୍ରୁତ ଗତିରେ ନିଃଶ୍ବାସ ନେଉଥାନ୍ତି, ପୁଣି କନ୍ଧର ଉତ୍ତରୀୟ କେଉଁଠି ଖସି ପଡିଛି , ଫୁଙ୍ଗୁଳା ଦେହରେ କଟି ତଟରେ ପୀତବସ୍ତ୍ର ମାତ୍ର,ତାହା ପୁଣି ଚିରା ଆଉ କଣ୍ଟା ଝଟାରେ ପୂର୍ଣ୍ଣ !!! ଆପଣାର ଗୃହସ୍ୱାମୀ ପ୍ରାଣପତିଙ୍କୁ ଏ ଦଶାରେ ଦେଖି କପାଳରେ ହାତ ଦେଲେ ଠାକୁରାଣୀ । ସାମାନ୍ଯ ରୋଷ ପ୍ରକାଶ କରି ପଚାରଲେ " ପ୍ରଭୁ !ଏ ବିଚିତ୍ର ଦଶା କିପରି ଆପଣଙ୍କର !??" ପ୍ରଭୁ କେତେ ଆଉ କିପରି ଲୁଚେଇବେ । ପୁଣି ଦାସେ ତ ପାଖରେ ତଦ୍ରୁପ ଅବସ୍ଥାରେ ଦଣ୍ଡାୟମାନ ।ଭକ୍ତ ତ ସରଳ । କହିପକାଇଲେ ସବୁ କଥା । ସବୁ ଶୁଣି ଲକ୍ଷ୍ମୀଙ୍କ କ୍ରୋଧ ଆଉ ଦେଖେ କିଏ ! ବର୍ଷିଚାଲିଲେ ତ ଜଗନ୍ନାଥଙ୍କ ଉପରେ । ଦାସେ ବି ବାଦ୍ ପଡିଲେନି ।
"ଆଉ ଏ ଭଗବାନ ଯେମିତି ଅଖାଡୁଆ, ତାଙ୍କ ଭକ୍ତ ବି ସେମିତି । କେହି କାହାକୁ କମ୍ ନୁହଁନ୍ତି । କଥାରେ ପରା ଅଛି -ଶୁଣ୍ଢି ସାକ୍ଷୀ ମାତାଲ ।" ମହାପ୍ରଭୁ ତ ତଳକୁ ମୁହଁ ପୋତି ପାଦ ନଖରେ ଭୁଇଁ ଚିରୁଥାନ୍ତି, ଭକ୍ତ ଆଉ ସହି ପାରିଲେ ନାହିଁ ପ୍ରାଣପ୍ରିୟ ଭଗବାନଙ୍କୁ ଗାଳି । ରୋଷରେ କହିଗଲେ ...
"ମା ! ତୁ ତ ବାଇ ଠାକୁରାଣୀ । ତୁ କ'ଣ ଜାଣିବୁ ଭକ୍ତ -ଭଗବାନଙ୍କ ଭାବ ??!!"
ଏ କଟାଳ ଶୁଣି ମହାକଲକ୍ଷ୍ମୀଙ୍କ ରାଗ ତ ପଞ୍ଚମ । ଅଭିଶାପ ଦେଇଗଲେ ଭକ୍ତକୁ " ରେ ବଳରାମ ! ତୁ ଶ୍ରୀକ୍ଷେତ୍ରର ପଞ୍ଚକୋଶ ଭିତରେ ମରିପାରିବୁ ନାହିଁ । ମୋର ଅଭିଶାପ ଅନ୍ୟଥା ହେବ ନାହିଁ ।"(କାରଣ ପ୍ରାୟ ଭକ୍ତର କାମନା ଥାଏ ଶ୍ରୀକ୍ଷେତ୍ରର ପଞ୍ଚକୋଶ ମଧ୍ୟରେ ଦେହ ତ୍ୟାଗ କରି ବୈକୁଣ୍ଠ ଧାମ ଗମନ କରିବାକୁ)
କାଳ ଗଡି ଚାଲିଲା । ବଳରାମ ଦାସ ଶ୍ରୀକ୍ଷେତ୍ର ବାହାରକୁ କୌଣସି କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ରାସ୍ତାରେ ତାଙ୍କ କାଳ ପୂର୍ଣ୍ଣ ହୋଇଗଲା । ଲକ୍ଷ୍ମୀଙ୍କ ଅଭିଶାପ ଫଳିଲା । ସେଠି ପଡିଯାଇ ସେ ଭଗବାନଙ୍କୁ ସ୍ମରଣ କଲେ ହୃଦୟରେ ।ରତ୍ନ ସିଂହାସନ କମ୍ପିଲା । ମହାପ୍ରଭୁ ଜଗନ୍ନାଥ ଅସ୍ଥିର ହୋଇ ଯିବାକୁ ବାହାରି ପଡିଲେ ଭକ୍ତ ନିକଟକୁ । ମହାଲକ୍ଷ୍ମୀ ବି ପ୍ରଭୁଙ୍କ ସଙ୍ଗେ ଚାଲିଲେ । ତତ୍ କ୍ଷଣାତ୍ ଦୁହେଁ ପହଞ୍ଚିଲେ ବଳରାମ ଦାସଙ୍କ ସମୀପରେ । ନିଜ ଆରାଧ୍ୟଙ୍କ ଭକ୍ତ ବତ୍ସଳତା ଦେଖି ଆଖିରୁ ଅଶ୍ରୁ ଝରିଚାଲିଲା ଭକ୍ତଙ୍କର । ଲକ୍ଷ୍ମୀ କହିଲେ "ଦେଖିଲୁ ନା ବଳରାମ ! ମୋ ଶାପ ସତ୍ୟ ହେଲା।" ଭକ୍ତ କହିଲେ "ମା ! ତୁ ବଡ ଭୋଲୀ । ଆପଣ ଦୁଇଜଣ ଯେଉଁଠି , ପଞ୍ଚକୋଶ ତ ସେଇଠି । ତୋ ଶାପ ତ ମୋ ପାଇଁ ଆର୍ଶୀବାଦ ହୋଇଗଲା । ସାକ୍ଷାତରେ ମହାପ୍ରଭୁ ଆଉ ତୋତେ ଦେଖି ପ୍ରାଣ ଛାଡୁଛି ।"
ଭଗବାନଙ୍କ ଶ୍ରୀଚରଣରେ ମସ୍ତକ ରଖି ଭକ୍ତ ସ୍ୱଦେହ ତ୍ୟାଗ କରି ଦିବ୍ୟ ଧାମ ଗମନ କରିଗଲେ ।
ଜୟ ଜଗନ୍ନାଥ