22/05/2026
*ଅଦିନିଆ ରଥଯାତ୍ରାର ଅନ୍ତରାଳେ - ଏକ ଉତ୍କଳବାସୀ ବୈଷ୍ଣବର ପ୍ରତ୍ୟୁତ୍ତର*
ଇସ୍କନ ସଂସ୍ଥା ସବୁବେଳେ ନିଜକୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅନୁଗତ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ରୂପେ ପରିଚୟ ଦେଇଥାଏ । ମାତ୍ର ସେ କେତେଦୂର ନିଜ ମୂଳ ପରମ୍ପରାର ଅନୁସରଣ କରେ ତାହା ବିଚାରଯୋଗ୍ୟ । ଏହି ପରିପ୍ରେକ୍ଷୀରେ ଚାଲନ୍ତୁ ଦେଖିବା ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ମୌଳିକ ଆଚାର୍ଯ୍ୟମାନଙ୍କ ମତ କଣ ।
ସାଧାରଣତଃ ପଦ୍ମପୁରାଣ, ଗରୁଡ଼ପୁରାଣ ଆଦିରେ ଚୈତ୍ରମାସରେ ଶ୍ରୀହରିଙ୍କ ଦୋଳୋତ୍ସବ ହେବାର ବିଧି ଥିବା ସତ୍ତ୍ଵେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ସ୍କନ୍ଦପୁରାଣୋକ୍ତ ଫାଲଗୁନ ମାସରେ ମହାପ୍ରଭୁଙ୍କ ଦୋଳୋତ୍ସବ ହେଉଥିବା ହେତୁ ଗୌଡ଼ୀୟ ବୈଷ୍ଣବ ସ୍ମୃତି ଗ୍ରନ୍ଥ ଶ୍ରୀହରିଭକ୍ତିବିଳାସ (ଚତୁର୍ଦ୍ଦଶ ବିଳାସ, ଶ୍ଳୋକ - ୩୨୭)ରେ ଶ୍ରୀଗୋପାଳଭଟ୍ଟ ଗୋସ୍ଵାମୀପାଦ କହୁଛନ୍ତି -
କିନ୍ତ୍ବୀଦୃଗ୍ଭକ୍ତିସନ୍ଦର୍ଶି *ଜଗନ୍ନାଥାନୁସାରତଃ* ।
ଦୋଳାଚନ୍ଦନକୀଳାଳରଥଯାତ୍ରାଶ୍ଚ କାରୟେତ୍ ॥
“ତଥାପି ସେହି ସବୁ ପ୍ରକାରର ଯାନିଯାତ୍ରା - ଦୋଳଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା, ଆଦିର ଅନୁଷ୍ଠାନ - ଭକ୍ତିର ଆଦର୍ଶସ୍ଵରୂପ, ଜନାନୁଗ୍ରହକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁସରଣପୂର୍ବକ ହିଁ କରିବା ଉଚିତ୍ ।”
ଏହାର ଅର୍ଥକୁ ସ୍ପଷ୍ଟ କରି ଶ୍ରୀସନାତନ ଗୋସ୍ୱାମୀପାଦ ଦିଗଦର୍ଶନୀ ଟୀକାରେ ଲେଖୁଛନ୍ତି -
“ଯସ୍ମିନ୍ ଦିନେ ଯଥା ତତ୍ କ୍ଷେତ୍ରେ ଭବେତ୍ ତଦ୍ଦିନେଽପି ତଥା ଦୋଳଯାତ୍ରାଂ ଚନ୍ଦନଯାତ୍ରାଂ *ରଥଯାତ୍ରାଞ୍ଚ* କୁର୍ଯ୍ୟାଦେବେତ୍ୟର୍ଥଃ ।”
“ଯେଉଁ ତିଥିରେ ଯେଉଁ ପରି ଭାବେ ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା, ଦୋଳଯାତ୍ରା, ଚନ୍ଦନଯାତ୍ରା ଉତ୍ସବାଦି ଅନୁଷ୍ଠିତ ହେବ, ସେହି ତିଥିରେ ଉକ୍ତ (ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧୀୟ) ମହୋତ୍ସବମାନ କରିବା ଉଚିତ୍ ।”
ସୁତରାଂ ଏଠାରେ ସ୍ପଷ୍ଟ ଆଦେଶ ଅଛି, ଯେ ଜଣେ ପ୍ରକୃତ ଗୌଡ଼ୀୟ ବୈଷ୍ଣବ ପକ୍ଷେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧିତ ଉତ୍ସବମାନ ଶ୍ରୀକ୍ଷେତ୍ରର ତିଥି ଅନୁସାରେ ପାଳନ କର୍ତ୍ତବ୍ୟ ।
ଶ୍ରୀଚୈତନ୍ୟଦେବ, ତଦନୁଗତ ଷଡ଼ଗୋସ୍ୱାମୀବୃନ୍ଦଙ୍କ ଠାରୁ ଆରମ୍ଭ କରି ବେଦାନ୍ତଭାଷ୍ୟକାର ଶ୍ରୀବଳଦେବ ବିଦ୍ୟାଭୂଷଣ, ନାମାଚାର୍ଯ୍ୟ ବାୟା ବାବା, ସ୍କନ୍ଦପୁରାଣ ପୁରୁଷୋତ୍ତମମାହାତ୍ମ୍ୟର ସର୍ବମାନ୍ୟଉତ୍କଳାନୁବାଦକ ପରମପୂଜ୍ୟ ବାବାଜୀ ଚୈତନ୍ୟ ଚରଣ ଦାସଙ୍କ ପର୍ଯ୍ୟନ୍ତ ଗୌଡ଼ୀୟ ସମ୍ପ୍ରଦାୟ ଆଶ୍ରିତ ଉତ୍କଳୀୟ ମହାତ୍ମାମାନେ ଯେତେବେଳେ ଶ୍ରୀମନ୍ଦିରର ମୌଳିକ ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିନାହାଁନ୍ତି, ତେବେ ଇସ୍କନ ଭକ୍ତ କଣ ଏମାନଙ୍କ ଠାରୁ ବଡ଼ ବୈଷ୍ଣବ ?
୧୯୭୭ ମସିହାରେ ଇସ୍କନର ସଂସ୍ଥାପକ ପୁରୀ ଆସି ନିଜ ବିଦେଶୀ ଶିଷ୍ୟମାନଙ୍କୁ ପ୍ରବେଶ କରାଇବା ପାଇଁ ଦାବି କରୁଥିଲେ । ଅଥଚ ଶ୍ରୀଚୈତନ୍ୟଦେବଙ୍କ ଅନ୍ତରଙ୍ଗ କର୍ଣ୍ଣାଟକୀୟ ବିପ୍ରକୂଳୋଦ୍ଭବ ପରମବିଦ୍ଵାନ୍ ବୈଷ୍ଣବ ଶ୍ରୀରୂପ ଗୋସ୍ୱାମୀ ଓ ଶ୍ରୀସନାତନ ଗୋସ୍ୱାମୀ ବୈରାଗୀ ଜୀବନ ପୂର୍ବରୁ ଏକଦା ବଙ୍ଗଦେଶର ଯବନ ଶାସକଙ୍କ ଅଧିନରେ କାର୍ଯ୍ୟରତ ଥିବା ହେତୁ, ନିଜକୁ ଅସ୍ପୃଶ୍ୟ ମନେକରି ପୁରୀରେ ଥାଇ ମଧ୍ୟ ଦିନେ ବି ବଡ଼ଦାଣ୍ଡ ଦେଇ ଯିବାଆସିବା କରୁନଥିଲେ (ଯେପରି ତାଙ୍କ ଛାୟା ସ୍ପର୍ଶ ଦ୍ଵାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ସେବାରେ କୌଣସିମତେ ବାଧା ନ ହେଉ) । ଠିକ୍ ସେହିପରି ଗୌରପାର୍ଷଦ ନାମାଚାର୍ଯ୍ୟ ଶ୍ରୀହରିଦାସ ଠାକୁର ଯବନକୂଳୋଦ୍ଭବ ହୋଇଥିବାରୁ ଶ୍ରୀମନ୍ଦିର ନ ଯାଇ କେବଳ ଦୂରରୁ ନୀଳଚକ୍ର ଦର୍ଶନ ଓ ମହାପ୍ରସାଦ ସେବନ କରି ବାଲିସାହି ସ୍ଥିତ ସିଦ୍ଧବକୁଳ ବୃକ୍ଷଛାୟାରେ ନିତ୍ୟ ୩ ଲକ୍ଷ ହରିନାମ କରନ୍ତି। ସ୍ଵୟଂ ଶ୍ରୀଚୈତନ୍ୟଦେବ ଏ ସମସ୍ତଙ୍କ ବୈଷ୍ଣବୋଚିତ ଦୈନ୍ୟ ଭାବକୁ ଅନୁମୋଦନ କରିଥିଲେ। ସେମାନେ କଦାପି ଶ୍ରୀମନ୍ଦିର ପ୍ରବେଶ ପାଇଁ ଦାବି କରିନଥିଲେ କି ଶ୍ରୀଚୈତନ୍ୟଦେବଙ୍କ ସହ ତତ୍କାଳୀନ ଗଜପତି ପ୍ରତାପରୁଦ୍ରଦେବଙ୍କ ଘନିଷ୍ଠ ସମ୍ବନ୍ଧ ଥିଲେ ସୁଦ୍ଧା ସେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ପ୍ରବର୍ତ୍ତାଇ ନଥିଲେ । ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥ ଏ ସବୁର ସାକ୍ଷୀ ହୋଇ ରହିଅଛି ।
*ଏଥିରୁ ସୁଧୀଜନମାନେ ବିଚାର କରନ୍ତୁ, ଇସ୍କନ ଆଗେ ନିଜ ପରମ୍ପରା ଆଚାର୍ଯ୍ୟଙ୍କ ପ୍ରତି ସଚେତନ ତ ? ନା ଏହା ତାଙ୍କର ପରମ୍ପରା ଆଢ଼ୁଆଳରେ ପ୍ରହସନ ମାତ୍ର ?*