23/01/2026
*ଶ୍ରୀଶ୍ରୀଠାକୁରଙ୍କ_ଦୃଷ୍ଟିରେ_ଦେବଦେବୀ*
*ସରସ୍ବତୀ*
*: ଶ୍ରୀ ଦେବୀପ୍ରସାଦ ମୁଖପାଧ୍ୟାୟ (ମୂଳ: ବଙ୍ଗଳା)*
*ଅନୁବାଦକ: ଶ୍ରୀ ଅରୁଣ କୁମାର ମିଶ୍ର*
_________________________
*ସରସ୍ଵତୀ ବିଦ୍ୟାର ଦେବତା । ସକଳ ବିଦ୍ୟାର ଅଧ୍ୟଷ୍ଠାତ୍ରୀ ଦେବୀ ସେ ।* *ଗାୟତ୍ରୀ-ରହସୋପନିଷଦରେ ଅଛି "ସରସ୍ୱତ୍ୟାଃ ସର୍ବେ ବେଦା ଅଭବନ୍"--ସରସ୍ବତୀଙ୍କଠାରୁ ସୃଷ୍ଟି ହୋଇଛି ସମସ୍ତ ବେଦ । ଆହୁରି ବିଭିନ୍ନ ଜାଗାରେ ସରସ୍ବତୀ ସମ୍ବନ୍ଧରେ ନାନା ଉକ୍ତି ରହିଛି । ତାଙ୍କର ଅନେକ ନାମ-- ବାକ୍, ବାକ୍ୟଶ୍ବରୀ, ଗିର୍, ଭାଷା, ଭାରତୀ, ବାଣୀ ପ୍ରଭୃତି । ସେ ଶୁକ୍ଳବର୍ଣ୍ଣା, ଶ୍ୱେତବସନା, କମଳବାସିନୀ, ହଂସବିହାରିଣୀ । ହସ୍ତରେ ତାଙ୍କର ବୀଣା, ଗଳାରେ ମୁକ୍ତାର ମାଳ, କୋଳରେ ପୁସ୍ତକ । ଏଇ ରୂପରେ ଆମେ ମା'ସରସ୍ୱତୀଙ୍କୁ ଦେଖିବାରେ ଅଭ୍ୟସ୍ତ । କିନ୍ତୁ ଏଇ ରୂପର ତାତ୍ପର୍ଯ୍ୟ କ'ଣ ?*
*ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ନିକଟରେ ଆବ୍ରହ୍ମସ୍ତମ୍ଭପର୍ଯ୍ୟନ୍ତ ସବୁ ବିଷୟରେହିଁ ଆଲୋଚନା ହୋଇଛି । ଥରେ ସରସ୍ବତୀ-ପୂଜାର ପ୍ରାକ୍କାଳରେ ଉଠିଲା ସରସ୍ବତୀ-ପ୍ରସଙ୍ଗ । ଦେବୀଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ହେଲା । ପ୍ରଥମେ ସେ ପଚାରିଲେ, 'ସରସ୍ଵତୀ' ମାନେ କ'ଣ ? ଅଭିଧାନ ଦେଖାଗଲା ଅଭିଧାନରେ ଅଛି ‘ସରସ୍ + ବତୀ, ସରସ ବା ସରଃ ମାନେ ଜଳ । ତା'ହେଲେ ଯିଏ ଜଳବତୀ, ସିଏ ସରସ୍ବତୀ ସେ ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ପ୍ରତିଟି ଅର୍ଥର ଧାତ୍ବର୍ଥ ଜାଣିବାକୁ ସେ କହିଲେ । ତଦନୁଯାୟୀ ସରସ ଶବ୍ଦର ଧାତୁ ଦେଖାଗଲା । 'ସୃ', ମାନେ ଗତି, ଚାଲିବା । ଶ୍ରୀଶ୍ରୀଠାକୁର କହିଲେ, “ତା' ହେଲେ ସରସ୍ବତୀ ମାନେ ଗତିମତୀ, ଯିଏ ଗତିର ପ୍ରତୀକ" । ଗତି ଛଡ଼ାବି ସୃ ଧାତୁର ଅପର ଏକ ଅର୍ଥ "ବିକଶିତ ହେବା" । ତେଣୁ 'ସରସ୍ଵତୀ' ଶବ୍ଦ ମଧ୍ୟରେ ବିକାଶର ଆକୁଳତା ବି ଅଛି ।*
*ସରସ୍ବତୀଙ୍କର ଆଉ ଏକ ନାମ ବାଗ୍ଦେବୀ । ବାକ୍ ମାନେ ବାକ୍ୟ ବା ଶବ୍ଦ । ତାହା ଶୁଣି ଶ୍ରୀଶ୍ରୀଠାକୁର କହିଥିଲେ, ତା'ହେଲେ ସରସ୍ୱତୀ ଶବ୍ଦରବି ଦେବତା ।"*
*ସରସ୍ବତୀ-ପ୍ରତିମା ମଧ୍ୟରେ ସୃଜନ-ପ୍ରଗତିକୁ ଲକ୍ଷ୍ୟ କରାଯାଏ । ସରସ୍ବତୀ ଗତିର ପ୍ରତୀକ । ସୃଷ୍ଟିର ଆଦିରେ ବି ଅଛି ଋତ (ଋଧାତୁ --ଗତି) ଅନନ୍ତର ବୁକୁରେ ଆକର୍ଷଣ ବିକର୍ଷଣର ଗତି ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର । ସେତେବେଳଠାରୁହିଁ ସୃଷ୍ଟି ବିକଶିତ ହୋଇଉଠିଲା । ପୁଣି, ଏଇ ଗତି ମଧ୍ୟରେ ଅଛି ସ୍ପନ୍ଦନ । ସନ୍ଦନହିଁ ବ୍ୟକ୍ତ ହୋଇଉଠିଛି ଶବ୍ଦରେ । ଅନନ୍ତ ବ୍ୟୋମରେ ଏଇ ଶବ୍ଦ ବିଚ୍ଛୁରିତ ହୋଇପଡ଼ିଛି ନାନା ରୂପରେ । ତେଣୁ, ଶ୍ରୀମଦ୍ଭାଗବତରେ ଅଛି, ଆଦିରେ ପରମବ୍ରହ୍ମ ଶବ୍ଦରୂପୀ । ତାଙ୍କୁ ଉପଲବ୍ଧ କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହୁଏ । ସରସ୍ବତୀ ପୂଜା ସେଇ ଶବ୍ଦ ଉପାସନାରହିଁ ବ୍ୟାପାର ।*
*ଏବେ ଆମେ ପ୍ରତିମାର ଆଙ୍ଗିକଗୁଡ଼ିକ ବିଶ୍ଳେଷଣ କରି ସମସ୍ତ ଚିତ୍ରଟାକୁ ବୁଝିବାକୁ ଚେଷ୍ଟା କରିବା । ପରମଦୟାଲ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ନିକଟରେ ଗୋଟିଏ ଗୋଟିଏ ବିଷୟ ନେଇ ପ୍ରଶ୍ନ କରାଯାଇଛି । ପ୍ରତ୍ୟେକଟିର ସମାଧାନୀ ଉତ୍ତର ଦେଇ ମଣିଷର ଜ୍ଞାନକ୍ଷୁଧାକୁ ମୋଚନ କରିଛନ୍ତି ସେ । ସେ ଯେପରି ଯାହା କହିଛନ୍ତି, ଆମେ ସେ ଦୃଷ୍ଟିଭାଙ୍ଗୀକୁ ଅନୁସରଣ କରିହଁ ମା'-ସରସ୍ବତୀଙ୍କୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁ ।*
*ମା'ଙ୍କର ଚରଣ ଯେଉଁ ପଦ୍ମ ଉପରେ ନ୍ୟସ୍ତ, ସେଇ ପଦ୍ମଟି ଜଳରେ ଫୁଟିଛି । ଏଇ ଜଳ କ'ଣ ? ମନୁସଂହିତାରେ ଅଛି, ଅବ୍ୟକ୍ତ ଈଶ୍ୱର ଯେତେବେଳେ ଜୀବଜଗତ୍ ସୃଷ୍ଟି କରିବାକୁ ଇଚ୍ଛା କଲେ ସେତେବେଳେ ସେ ପ୍ରଥମେ ଜଳ ସୃଷ୍ଟି କଲେ ।(୧/୮) । ଜଳ ପ୍ରଥମେ ସୃଷ୍ଟି ହେଲା କାହିଁକି ? କାରଣ, ଜଳ ନହେଲେ କୌଣସି ପ୍ରାଣୀ ବଞ୍ଚିପାରେନା । ପୁଣି ପଞ୍ଚ ମହାଭୂତରେ (କ୍ଷିତି, ଅପ୍, ତେଜ, ମରୁତ୍, ବ୍ୟୋମ) ମଧ୍ୟ ପ୍ରଥମ ଘନୀଭୂତ ଅବସ୍ଥା ସେହି ଜଳ (ଅପ୍) । ଏହା ଆଗରୁ ଅଛି ବ୍ୟୋମ ଅର୍ଥାତ୍ ଶୂନ୍ୟ, ମରୁତ୍ ଅର୍ଥାତ୍ ବାୟୁ, ଏବଂ ତେଜ ଅର୍ଥ ଅଗ୍ନି ସବୁହିଁ ବାୟବୀୟ ବା ବାଷ୍ପୀୟ ଅବସ୍ଥା ଘନୀଭୂତ ପ୍ରଥମ ଭୁତହିଁ ହେଲା ଜଳ । ତେଣୁ, ଜଳ ସୃଷ୍ଟିର ପ୍ରଥମ ପର୍ଯ୍ୟାୟର ପ୍ରତୀକ ।*
*ଜଳରେ ପଦ୍ମ ଫୁଟେ । ପଦ୍ମ ଶବ୍ଦର ଉତ୍ପତ୍ତି ପଦ୍ ଧାତୁରୁ, ଅର୍ଥ ଗତି, ସ୍ଥିତି, ପ୍ରାପ୍ତି । ସୃଷ୍ଟିର ପ୍ରଥମ ଧାପରେହିଁ ଅଛି ଗତି ଓ ସ୍ଥିତି-- ଋତ ଓ ସତ୍ୟ (ଋଗ୍ବେଦ) । ଏହାକୁ ଆଶ୍ରୟ କରିହିଁ କୌଣସି କିଛି ବିକଶିତ ବା ବିବର୍ଦ୍ଧିତ ହୋଇଉଠେ । ମଣିଷ ଚାଲିବା ସମୟରେ ଗୋଟିଏ ପାଦକୁ ସ୍ଥିର କରି ଅନ୍ୟ ପାଦଟିକୁ ଆଗକୁ ବଢ଼ାଏ । ଗୋଟିଏ ବଟଗଛର ଚାରା ଯେତେବେଳେ ବିରାଟ ହୁଏ, ସେତେବେଳେ ତାହା ସେଇ ବଟବୃକ୍ଷ (ବରଗଛ) ହୋଇହିଁ ରହେ, ରହି ବଡ଼ରୁ ବଡ଼ କ୍ରମେ ହୁଏ । ଏଇ ଗତି ଓ ସ୍ଥିତି ସୃଷ୍ଟିର ସବୁକିଛି ମଧ୍ୟରେହିଁ ଅନ୍ତଃସ୍ୟୂତ । ବିଶ୍ଵସୃଷ୍ଟିର ପ୍ରଥମ ଧାପରେ ବି ଗୋଟାଏ ଅବସ୍ଥିତିକୁ ଅବଲମ୍ବନ କରି ସୃଷ୍ଟି ବିକଶିତ ହୋଇ ଉଠିଥିଲା । ହୋଇ ଅଟକି ନାହିଁ, ଆଗେଇ ଚାଲିଛି ତାହା ଗୋଟାଏ ପରିଣତିର ଦିଗରେ-- ଯାହାର ଆଉ ଏକ ନାମ ଦିଆଯାଏ ପ୍ରାପ୍ତିର ଦିଗରେ । ଗତି ଯେପରି, ପରିଣତି ବା ପ୍ରାପ୍ତିବି ହୁଏ ସେପରି ।*
*ମା-ସରସ୍ଵତୀ ହିଂସାସୀନା । 'ହଂସ' କହିବାକୁ ଯାଇ ଶ୍ରୀଶ୍ରୀଠାକୁର କହିଛନ୍ତି ‘ଅହଂ ସଃ', ଅର୍ଥାତ୍ ମୁଁ ହିଁ ସେଇ, ତା'ର ମାନେ ପ୍ରତିଟି ବ୍ୟକ୍ତି ଯିଏ । ଯେ ସର୍ବ ଜ୍ଞାନର ଅଧୀଶ୍ୱରୀ, ପ୍ରତିଟି ମଣିଷ ତାଙ୍କୁ ବହନ କରି ଚାଲୁ, ଏଇ ହେଲା ହଂସରୂଢ଼ା ଦେବୀଙ୍କର ତାତ୍ପର୍ଯ୍ୟ । ବିଦ୍ୟା ବା ଜ୍ଞାନର ଚର୍ଚ୍ଚା ଯେଉଁ ପରିବାରରେ, ଯେଉଁ-ସମାଜରେ ଯେତେ ବେଶି, ସେମାନଙ୍କର ମନର ତାର ସେତେ ଉଚ୍ଚ ଗ୍ରାମରେ ବନ୍ଧା ହୋଇଥାଏ । ହୀନତା, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ଅଶ୍ଳୀଳତା ସେଠାରେହିଁ ଠାଇଁ ପାଏନା । ମଣିଷର ମନ ଉଦାର ହୁଏ, ପରାର୍ଥପର ହୁଏ ; ସେମାନଙ୍କର ସହନ, ଧାରଣ ଓ ବହନଶକ୍ତି ବଢ଼େ । ଏଇଥିପାଇଁ ହିଁ ଦେବୀ ହଂସବିହାରିଣୀ । ତା’ବ୍ୟତୀତ ଆହୁରି ବି ଅଛି । ହଂସ ହେଲା କଳନାଦୀ ବା କଳକଣ୍ଠ । କଳ ଶବ୍ଦର ଉତ୍ପତ୍ତି କଳ୍-ଧାତୁରୁ, ମାନେ ଗତି ବା ଶବ୍ଦ । ହଂସରୂପୀ ପ୍ରତିଟି ବ୍ୟକ୍ତିସତ୍ତାହିଁ ଶବ୍ଦବ୍ରହ୍ମରୁ ଉଦ୍ଭୂତ, ଆଉ ସୃଷ୍ଟିର ପ୍ରତିଟି ପଦାର୍ଥ ମଧ୍ୟରେହିଁ ଅଛି ଗତି ବା ଚଳମାନତା । ସବୁହିଁ ନିରନ୍ତର ଗତିଶୀଳ । ତେଣୁ ବିଶ୍ୱର ଅପର ନାମ ଜଗତ୍ (ଗମ୍-ଧାତୁରୁ, ଅର୍ଥ ଗତି) । ତେଣୁ, ଗତି ଓ ଶବ୍ଦ ହଂସ ମଧ୍ୟରେ ନିତ୍ୟ ଅବସ୍ଥିତ ।*
*ମା'ଙ୍କ କୋଳରେ ଥାଏ ପୁସ୍ତକ । ସେ ଯେ ବିଦ୍ୟାର ଦେବୀ । ପୁସ୍ତକ ବା ଗ୍ରନ୍ଥ ସେଇ ବିଦ୍ୟାର ପ୍ରତୀକ । ଜ୍ଞାନଚର୍ଚ୍ଚା ତାଙ୍କରି କୋଳରେହିଁ ଲାଳିତ ହୁଏ । ଆଗରୁ କୁହାଯାଇଛି, ସରସ୍ବତୀଙ୍କ ମଧ୍ୟରେ ସୃଜନ-ପ୍ରଗତି ବିକଶିତ ହୋଇଉଠିଛି । ତାଙ୍କ ମଧ୍ୟରେ ନିହିତ ଅଛି ସୃଷ୍ଟିର ମୂଳ କଥାଗୁଡ଼ିକ । ସେଇ ମୂଳ କାରଣ ସହିତ ଯିଏ ଅବଗତ ହୋଇପାରେ, ତା'ରହିଁ ପ୍ରକୃତ ବିଦ୍ୟାଲାଭ ହୁଏ । ବିଦ୍ୟା ଶବ୍ଦର ଉତ୍ସ ସଂସ୍କୃତିର ବିଦ୍-ଧାତୁ । ତା'ର ଅର୍ଥ-ଜ୍ଞାନ, ବିଚାରଣା, ଅସ୍ତିତ୍ବ, ପ୍ରାପ୍ତି । ତା'ହେଲେ ଯାହାର ବିଦ୍ୟାଲାଭ ହୁଏ, ତାହାର ଅସ୍ତିତ୍ୱ ରକ୍ଷା କରିବାର ଜ୍ଞାନ ଥାଏ । ବିଚାରଶକ୍ତି ଥାଏ, ମନ୍ଦରୁ ଭଲଟାକୁ ସେ ବାଛି ବାହାର କରି ନେଇପାରେ ଏବଂ ଏଇଭାବରେ ସେ ଆଗେଇ ଚାଲେ ତା'ର ମୂଳ ପ୍ରାପ୍ତି ଗନ୍ତବ୍ୟର ଦିଗରେ । ସେ ଗନ୍ତବ୍ୟ ହେଲା ଧାରଣ-ପାଳନୀ-ସମ୍ବେଗସିଦ୍ଧ ବ୍ୟକ୍ତିତ୍ବଲାଭ, ଅନ୍ୟ କଥାରେ ଈଶ୍ଵରପ୍ରାପ୍ତ । ଏଇ ସବୁ ଅବସ୍ଥାଟାହିଁ ମା'ର କୋଳରେ ସଯତ୍ନରେ ପାଳିତ, ପୋଷିତ ଓ ବର୍ଦ୍ଧିତ ହୁଏ । ପୁସ୍ତକର ଅପର ତାତ୍ପର୍ଯ୍ୟ ହେଲା, ପୁସ୍ତକ ପାଠ କରାଯାଏ ଏବଂ ପାଠର ଗୋଟାଏ ଶବ୍ଦ ଅଛି । ପୁସ୍ତକସ୍ଥ ପଦ ଓ ବାକ୍ୟଗୁଡ଼ିକ ଶବ୍ଦ-ସହଯୋଗରେହିଁ ଗଠିତ । ଆଉ, ଏଇ ଶବ୍ଦ ତଥା ଜଗତର ସବୁ ଶବ୍ଦହିଁ ସେଇ ପରମ ଶବ୍ଦବ୍ରହ୍ମରୁହଁ ଉଦ୍ଭୂତ ।*
*ସରସ୍ବତୀଙ୍କ ହସ୍ତରେ ବୀଣା ଥାଏ । ବୀଣାରୁବି ଧ୍ବନି ବା ନାଦ ଉତ୍ଥିତ ହୁଏ । ତାହା ବି ସେଇ ଶବ୍ଦ-ଉପାସନାରହିଁ ପ୍ରତୀକ । ସରସ୍ଵତୀଙ୍କର ବୀଜମନ୍ତ୍ର ଐଂ । ଏଇ ଐଂ ଧ୍ବନି ଝଙ୍କାର-ସହ ଉଚ୍ଚାରଣ କଲେ ବୀଣାଧ୍ବନି ଭଳି ଅନେକଟା ପ୍ରତୀତ ହୁଏ । ସାଧନସ୍ତରରେ ସାଧକ ଗୋଟିଏ ଜାଗାରେ ଏଇ ବୀଣାଧ୍ବନି ଶୁଣିବାକୁ ପାଏ । ସେଇ ସ୍ତରର ନାମ ସତ୍ୟଲୋକ, ଅର୍ଥାତ୍ ଯେଉଁଠାରୁ ଅସ୍ତିତ୍ବର ବାର୍ତ୍ତା ପ୍ରଚାରିତ ହୁଏ (ଅସ୍-ଧାତୁ -- ଅସ୍ତିତ୍ବ, ବିଦ୍ୟମାନତା ; ଅସ୍+ଶତୃ--ସତ୍) । ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ସାଧନାର ବିଭିନ୍ନ ସ୍ତର ସମ୍ପର୍କରେ କହିବାକୁ ଯାଇ ଏଠାକାର ସମ୍ପର୍କରେ କହିଛନ୍ତି “ସେଠାରେ ସେଇ ରକମ ଶବ୍ଦ ହୁଏ" ଉପଲବ୍ଧିବାନ ସାଧକ ସେଇ ଧ୍ବନି ଅନ୍ତର କର୍ଣ୍ଣରେ ଶ୍ରବଣ କରନ୍ତି ।*
*ଓଁ, ଐଂ, ହ୍ରୀଂ, କ୍ଳିଂ ପ୍ରଭୃତି ଯେଉଁସବୁ ବୀଜମନ୍ତ୍ର ଅଛି, ସେଗୁଡ଼ିକ ବି ନାଦର ବା ଶବ୍ଦର ବିଭିନ୍ନ ସ୍ତରର କମ୍ପନ । ଶବ୍ଦକୁ ଯଦି ଅଧିଗତ କରାଯାଏ, ତେବେ ସୃଷ୍ଟିଧାରାର ମୂଳ ମରକୋଚ ହସ୍ତଗତ ହୁଏ । ସେତେବେଳେ ବିଷୟ ଓ ବ୍ୟାପାର ସମୂହର କାର୍ଯ୍ୟକାରଣ ସମ୍ବନ୍ଧବି ଚିତ୍ତରେ ଧରାପଡ଼େ । ତେଣୁ, ସଦ୍ଗୁରୁଙ୍କ ନିକଟରୁ ଦୀକ୍ଷା ନେଇ ବିଧିମତ ନାମଜପ କରିବାର ନିର୍ଦ୍ଦେଶ ଅଛି । ଆଉ, ଯେ କୌଣସି ପୂଜାର ଆଗେହିଁ ଗୁରୁପୂଜା ଅପରିହାର୍ଯ୍ୟ ।*
*ସରସ୍ଵତୀଙ୍କର ଆଉ ଏକ ନାମ ଭଦ୍ରକାଳୀ, ଅର୍ଥାତ୍ ସେ କଲ୍ୟାଣଗତିସମ୍ପନ୍ନା । (ଭଦ୍ର=କଲ୍ୟାଣ, କାଳୀ-- କଳ-ଧାତୁ=ଗତି) । ତାଙ୍କୁ ଭଲପାଇ, ତାଙ୍କର ସେବା କରି ମଣିଷ ଶବ୍ଦସ୍ତରକୁ ଆୟତ୍ତ କରିପାରେ । ଶବ୍ଦର କ୍ରମାଧିଗମନ ଏବଂ ବିଷୟ ଓ ବସ୍ତୁରେ ତାହା କିପରି ମୁର୍ତ୍ତ ହୋଇଉଠିଛି, ସେଇ ବିନ୍ୟାସକ୍ରମ ଯାହାର କରାୟତ୍ତ, ସେ ଶବ୍ଦକୁ ଇଷ୍ଟାର୍ଥରେ ପ୍ରୟୋଗ ଓ ବ୍ୟବହାର କରି କଲ୍ୟାଣର ଅଧ୍ୟକାରୀ ହୋଇ ଉଠିପାରେ ।*
*ସରସ୍ଵତୀଙ୍କର ଆଠଟି ଶକ୍ତି-- ଲକ୍ଷ୍ମୀ, ମେଧା, ଧରା, ତୁଷ୍ଟି, ଗୌରୀ, ପୁଷ୍ଟି, ପ୍ରଭା, ଧୃତି । ସରସ୍ଵତୀଙ୍କର ଏକନିଷ୍ଠ ସେବକ ଯିଏ, ତା ଭିତରେ ସ୍ୱତଃହିଁ ସେଇସବୁ ଶକ୍ତିର ଜାଗରଣ ଘଟେ ।*
*ସରସ୍ଵତୀ ଶୁକ୍ଳବର୍ଣ୍ଣା, ଶୁଭ୍ରବସ୍ତ୍ରାବୃତା । ଏଇ ଧଳା ରଙ୍ଗର ତାତ୍ପର୍ଯ୍ୟ କ'ଣ ? ଧଳା ରଙ୍ଗ ପବିତ୍ରତାର ପ୍ରତୀକ । ପୁଣି, ସତ୍ତ୍ୱଗୁଣର ରଙ୍ଗ ବି ଧଳା । ସତ୍ତ୍ୱଗୁଣ ମାନେ ଅସ୍ତିତ୍ବ ଯାହାଦ୍ବାରା ବଜାୟ ରହେ, ତା'ର ଚର୍ଚ୍ଚା (ସତ୍+ତ୍ବ=ସତ୍ତ୍ବ) । ସତ୍ତ୍ୱଗୁଣର ଚରିତ୍ର ହେଉଛି ହାଲୁକା । ତା' ସହଜରେ ଉପରକୁ ଉଠିପାରେ । ଉପରକୁ କିଏ ଉଠିପାରେ ? ଯାହାର ପଶ୍ଚାତ୍ଭାଗ ଓଜନରେ ଭାରି ନୁହେଁ, ଅନ୍ୟ କଥାରେ ପ୍ରବୃତ୍ତିର ପାଷାଣ ଭାରରୁ ଯିଏ ମୁକ୍ତ । ପ୍ରବୃତ୍ତାମୁକ୍ତ ଯିଏ ସେଇ ତ ପ୍ରକୃତ ମୁକ୍ତ । ପୁଣି ଦେଖାଯାଏ, ସମସ୍ତ ବର୍ଣ୍ଣ ଏକତ୍ର ମିଶ୍ରିତ ହେଲେ ଧଳା ଦେଖାଯାଏ । ସରସ୍ବତୀଙ୍କ ଶୁଭ୍ର ବର୍ଣ୍ଣ ମଧ୍ୟରେ ଏଇ ମିଳନ ବା ସମାହାରର ଇଙ୍ଗିତ ବର୍ତ୍ତମାନ ।*
*ଏଇଭାବରେ ସବୁଟାକୁ ଦେଖିଲେ ବୁଝାଯାଏ ଯେ, ସରସ୍ଵତୀଙ୍କର ଉପାସନା ମାନେ ପରବ୍ରହ୍ମଙ୍କରହିଁ ଉପାସନା, ସୃଷ୍ଟିତତ୍ତ୍ବର ଉପାସନା । ଏଇ ତାତ୍ପର୍ଯ୍ୟ ଜାଣି ଯେଉଁମାନେ ପୂଜା କରନ୍ତି, ସେଇମାନଙ୍କର ହିଁ ସରସ୍ବତୀ ପୂଜା ସାର୍ଥକ ହୁଏ । ମା'ସରସ୍ବତୀ ସତାତ୍ପର୍ଯ୍ୟେ ସେମାନଙ୍କ ନିକଟରେ ପ୍ରତିଭାତ ହୁଅନ୍ତି ।*
*ଏଇ କାରଣରୁ ସତ୍ସଙ୍ଗ-ଆଶ୍ରମରେ ସରସ୍ବତୀ ପୂଜା ସାଡ଼ମ୍ବରେ ପାଳିତ ହୋଇଥାଏ । ଶ୍ରୀଶ୍ରୀଠାକୁର ସ୍ଵୟଂ ଆଣ୍ଠୁମାଡ଼ି ବସି ପୁଷ୍ପାଞ୍ଜଳି ଦିଅନ୍ତି ଏବଂ ପରେ ପ୍ରଣାମୀ-ସହ ପ୍ରଣାମ ନିବେଦନ ବି କରନ୍ତି । ଅସୁସ୍ଥତା ହେତୁ ଯେତେବେଳେ ପୂଜାମଣ୍ଡପକୁ ଯାଇ ପାରନ୍ତିନି ସେତେବେଳେ ସେ ନିଜ ଘରେ ଶଯ୍ୟାରେ ବସିହିଁ ପୁଷ୍ପାଞ୍ଜଳି ଦିଅନ୍ତି । ପୁରୋହିତ ସେଠାକୁ ଆସି ମନ୍ତ୍ର-ଉଚ୍ଚାରଣବି କରନ୍ତି । ପୁଷ୍ପାଞ୍ଜଳି ଦେଇ ଭକ୍ତିଭରେ ମା'-ସରସ୍ବତୀଙ୍କୁ ପ୍ରଣାମ ନକରିବା ପର୍ଯ୍ୟନ୍ତ ଶ୍ରୀଶ୍ରୀଠାକୁର ଆହାର ଗ୍ରହଣ କରୁ ନଥିଲେ । ସେ ଯେ ଲୋକଗୁରୁ ! ଆଚରଣ କରି ଶିଖାଇ ଦେଇ ଯାଇଛନ୍ତି କିଭଳି ଚାଲିବାକୁ ହୁଏ, ମା'ଙ୍କ ସମ୍ମୁଖରେ କିଭଳି ବିନୀତ ଭଙ୍ଗିମାରେ ବସିବାକୁ ହୁଏ, ଅଞ୍ଜଳି ଦେବାକୁ ହୁଏ ଇତ୍ୟାଦି । ପୁଣି, ତାତ୍ପର୍ଯ୍ୟ ଭାଙ୍ଗି ବୁଝାଇ ଦେଇଛନ୍ତି ମା'ସରସ୍ବତୀ କ'ଣ ; ସରସ୍ୱତୀ ପ୍ରତିମାର ସଜା ଏପରି କାହିଁକି ! ସମସ୍ତ ତାତ୍ପର୍ଯ୍ୟ ସଂହତ କରି, ସେଇ ଭାବ ଗୋଟିଏ ଛୋଟ ବାଣୀରେ ଶ୍ରୀଶ୍ରୀଠାକୁର ବ୍ୟକ୍ତ କରିଛନ୍ତି । ସେହି ବାଣୀଟି ଉଦ୍ଧୃତ କରି ଏ ନିବନ୍ଧର ଉପସଂହାର କରିବି–*
“ବିକାଶ-ବ୍ୟାକୁଳ ଗତିହିଁ ଯାହାଙ୍କର ସଂସ୍ଥିତି--
ସେହିଁ ସରସ୍ବତୀ,
ଆଉ, ବାକ୍ ବା ଶବ୍ଦହିଁ ଯାହାଙ୍କର ସତ୍ତା--
ସେହିଁ ବାଗ୍ଦେବୀ ;
ଆଉ, ଯିଏହିଁ ବାଗ୍ଦେବୀ
ସେହିଁ ସରସ୍ବତୀ ।"
ବନ୍ଦେ ପୁରୁ୍ଷୋତ୍ତମମ୍
ଜୟଗୁରୁ